ପାଣିପାଗ ବିଭାଗ ଦେଲା ସୁଚନା – 4 ତାରିଖରେ ଏହି ସମୟରେ ଓଡିଶାରେ ମାଡ ହେବ ବାତ୍ୟା ।

fact2

ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ କେନ୍ଦ୍ରୀଭୂତ । ଆଜି ଅବପାତରେ ରୂପାନ୍ତରିତ ହେବା ସମ୍ଭାବନା । ଆସନ୍ତାକାଲି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟା ରୂପ ନେଇପାରେ । ୪ ତାରିଖରେ ଉପକୂଳ ଓଡ଼ିଶାରେ ବାତ୍ୟା ଜଓ୍ଵାଦ୍‌ ସର୍ବାଧିକ ପ୍ରଭାବ ସମ୍ଭାବନା । ୩ରୁ ୫ ତାରିଖ ଯାଏ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଆଜି ଅବପାତରେ ପରିଣତ ହେବା ପରେ ସଠିକ ଆକଳନ କରାଯାଇପାରିବ ବୋଲି ଆଇଏମଡି ଡିଜି କହିଛନ୍ତି ।

ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିପାରେ । ସମ୍ଭାବ୍ୟ ବାତ୍ୟା ଜଓ୍ଵାଦର ଗତିପଥ ଉପରେ ନଜର ରଖିଛନ୍ତି ସାରା ବିଶ୍ୱର ପାଣିପାଗ ବିଜ୍ଞାନୀ । ବାତ୍ୟା ପ୍ରଭାବରେ ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ପବନ ହେବ । ଆଜିଠୁ ବଦଳିପାରେ ପାଗ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ । ବ୍ୟାପକ ଫସଲ ହାନୀ ସମ୍ଭାବନା ରହିଛି । ପ୍ରଭାବିତ ହୋଇପାରେ ଚାଷବାସ ।

୪ ଓ ୫ ତାରିଖରେ ଉପକୂଳ ଓ ତତ୍‌ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଆକଳନ କରିଛି।

ଆସନ୍ତା ୪ ତାରିଖ ସକାଳ ୮ଟାରୁ ୫ ତାରିଖ ସକାଳ ମଧ୍ୟରେ ଗଜପତି, ଗଞ୍ଜାମ, ପୁରୀ ଓ ଜଗତ୍‌ସିଂହପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟ ମଧ୍ୟରେ ଖୋର୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ପରବର୍ତୀ ୨୪ ଘଣ୍ଟା ଅର୍ଥାତ୍‌ ୫ ତାରିଖ ସକାଳଠାରୁ ୬ ତାରିଖ ସକାଳ ପର୍ଯ୍ୟନ୍ତ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ। ତାହାକୁ ନଜରରେ ରଖି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

rain

ଗୁରୁବାର ଲଘୁଚାପ ଅବପାତ ରୂପ ନେବା ବେଳେ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ଝଡ଼ ପବନ ହେବାର ସମ୍ଭାବନା ରହିଛି। ୩ ତାରିଖ ସକାଳୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୬୫ରୁ ୭୫ କିମି ରହିପାରେ। ୪ ତାରିଖ ସକାଳଠାରୁ ପରବର୍ତୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଓ ତତ୍‌ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ବେଗରେ ପବନ ବହିବ। ତେବେ ୩ ତାରିଖ ମଧ୍ୟରାତିରୁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ସର୍ବାଧିକ ୬୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହା ଧୀରେ ଧୀରେ ବୃଦ୍ଧି ପାଇ ୪ ତାରିଖ ଅପରାହ୍ନରୁ ପବନର ବେଗ ୭୦ରୁ ୮୦ ଏବଂ ସର୍ବାଧିକ ୯୦ କିମି ରହିବ।

୫ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ପ୍ରବଳ ବର୍ଷା ପାଇଁ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।.

Leave a Reply

Your email address will not be published. Required fields are marked *